
ଜଗଜ୍ଜନନୀ ମା’ ଦୁର୍ଗାଙ୍କ ଆବିର୍ଭାବ
ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ
“ସୃଷ୍ଟି ସ୍ଥିତି ବିନାଶାନାଂ ଶକ୍ତିଭୂତେ ସନାତନୀ
ଗୁଣାଶ୍ରୟେଗୁଣମୟେ ନାରାୟଣୀ ନମୋସ୍ତୁତେ ।”
ସୃଷ୍ଟି, ସ୍ଥିତି ଓ ପ୍ରଳୟର ମୂଳ ହେଉଛନ୍ତି ମାତୃରୂପା ମହାଶକ୍ତି । ଶକ୍ତିର ଉପାସକଙ୍କୁ ଶାକ୍ତ କୁହାଯାଏ ଏବଂ ଏହାର ପୂଜାବିଧି ଶାକ୍ତ ଉପାସନା ନାମରେ ନାମିତ । ଶାକ୍ତଧର୍ମର ଅଭ୍ୟୁଦୟ ସମ୍ପର୍କରେ ବିଭିନ୍ନ ମତ ରହିଛି ।କେତେକଙ୍କ ମତରେ ଆର୍ଯ୍ୟ ଓ ଆର୍ଯ୍ୟେତର ବିଶ୍ବାସ ଏବଂ ସଂସ୍କାରର ସମନ୍ବୟ ଦ୍ବାରା ଶାକ୍ତ ଧର୍ମ ଉତ୍ପତ୍ତି ଲାଭ କରିଥିଲା । ପୁଣି କେତେକଙ୍କ ମତରେ ପୃଥିବୀ ମାତାଙ୍କ ପୂଜା ସହିତ ଶାକ୍ତ ସଂସ୍କୃତି ବିକଶିତ ହୋଇଥିଲା । ଅନ୍ୟ କେତେକଙ୍କ ମତରେ ମାତୃ ଉପାସନା ହିଁ ଶକ୍ତି ଉପାସନାର ମୂଳଭିତ୍ତି । ବହୁ ପ୍ରାଚୀନ କାଳରୁ ଶକ୍ତି ଉପାସନା ର ପରମ୍ପରା ପ୍ରଚଳିତ । କିନ୍ତୁ ସପ୍ତସତୀ ଚଣ୍ଡୀ ଅନୁସାରେ ରାଜା ସୁରଥ ହିଁ ପ୍ରଥମେ ଶକ୍ତି ପୂଜାର ଆରମ୍ଭ କରିଥିଲେ । ରାମଚନ୍ଦ୍ର ଲଙ୍କା ବିଜୟ କରିବାକୁ ଯିବା ପୂର୍ବରୁ ଦୁର୍ଗାଙ୍କୁ ପୂଜା କରିଥିଲେ ଆଶୀର୍ବାଦ ମାଗିଥିଲେ ଏବଂ ମହାଭାରତ ଯୁଦ୍ଧ ପୂର୍ବରୁ ଅର୍ଜନ ମଧ୍ୟ ଦେବୀ ଦୁର୍ଗା ଙ୍କୁ ଶକ୍ତି ଦେବାପାଇଁ ପ୍ରାର୍ଥନା କରିଥିଲେ । ଶକ୍ତି ଆରାଧନା ଘଟ ବା କଳସ ପୂଜାରୁ ଆସି ମୂର୍ତ୍ତି ପୂଜାରେ ରୂପାନ୍ତରିତ ହୋଇଛି । ଏହି ଶକ୍ତିତତ୍ତ୍ବ ପ୍ରତି ଦୃଷ୍ଟି ଦେଲେ ମା’ ଜଗଜ୍ଜନନୀ ଦୁର୍ଗା ଏକ ସର୍ବୋତ୍କୃଷ୍ଟ ଶକ୍ତି ଭାବରେ ଦୃଷ୍ଟିକୁ ଆସନ୍ତି । ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ଆଦ୍ୟାଶକ୍ତି ଦୁର୍ଗା, ମହିଷମର୍ଦ୍ଦିନୀ ଦୁର୍ଗା , ବନଦୁର୍ଗା, ମହାଦୁର୍ଗା , ଶୂଳିନୀ ଦୁର୍ଗା, ବିନ୍ଧ୍ୟବାସିନୀ ଦୁର୍ଗା, ଅନଳଦୁର୍ଗା ଆଦିନାମରେ ଏବଂ ଦ୍ବିଭୁଜା, ଚତୁର୍ଭୁଜା, ଅଷ୍ଟଭୁଜା ଓ ଦଶଭୁଜା ଆଦି ରୂପରେ ଆରାଧିତା ।
ଯୁଗେଯୁଗେ ମାତୃପୂଜାର ପରମ୍ପରା ରହିଆସିଛି । ମାତା ଜୀବର ଜନ୍ମଦାତ୍ରୀ, ଅଭୟଦାତ୍ରୀ, ଆଶ୍ରୟଦାତ୍ରୀ ତଥା ସର୍ବଦା ନିଜର ସୃଷ୍ଟିକୁ ସୁରକ୍ଷା ଯୋଗାଇ ଆସିଛନ୍ତି । ଆମ ସଂସ୍କୃତିରେ ବୃକ୍ଷ (ତୁଳସୀ)କୁ ମାତା, ନଦୀକୁ ମାତା, ଗାଇକୁ ମାତା, ଭୂମିକୁ ମାତା, ଦେଶକୁ ମାତା, ବେଦମାତା ଗାୟତ୍ରୀ ଦେହମାତା ଆଦି ରୂପରେ ପୂଜା କରାଯାଏ । ଜନ୍ମଭୂମିକୁ ମାତା ଭାବରେ ସ୍ୱୀକାର କରାଯାଇଛି । ସେଥିପାଇଁ ପ୍ରଭୁ ରାମଚନ୍ଦ୍ର କହିଥିଲେ :-
“ଜନନୀ ଜନ୍ମଭୂମୀଶ୍ଚ ସ୍ବର୍ଗାଦପୀ ଗରିୟସୀ” । ଜନନୀ ଓ ଜନ୍ମଭୂମିର ସ୍ଥାନ ସ୍ବର୍ଗଠାରୁ ମଧ୍ୟ ବଡ ।ତେଣୁ ମାତୃଜାତି ସର୍ବଦା ପୂଜନୀୟ, ବନ୍ଦନୀୟ ଓ ସ୍ମରଣୀୟ । ସବୁ ସାଧନାର ସିଦ୍ଧି ପଛରେ ମାତୃଶକ୍ତି ର ପ୍ରଚ୍ଛନ୍ନ ହାତର ଆଶୀର୍ବାଦ ରହିଛି । ମନୁଷ୍ୟର ସର୍ବ କାମନାର ସିଦ୍ଧିଠାରୁ ମୋକ୍ଷ ପର୍ଯ୍ୟନ୍ତ ସବୁ ମାତୃଶକ୍ତିର କରାୟତ । ସ୍ରଷ୍ଟାଙ୍କଠାରୁ ଆରମ୍ଭକରି ସୃଷ୍ଟିର ସମସ୍ତ ଜୀବ ମାତୃଶକ୍ତିର ଆଶ୍ରିତ । ମାତୃଶକ୍ତି ଜଡବସ୍ତୁରେ ଶକ୍ତି ସଞ୍ଚାର କରି ଜୀବନ ପ୍ରଦାନକରେ । ମାତୃଶକ୍ତି ମନୁଷ୍ୟକୁ ସତ୍ ମାର୍ଗ, ସତ୍ ବୁଦ୍ଧି,ସତଜ୍ଞାନ ଓ ସତ୍ ଚିନ୍ତା ପ୍ରଦାନ କରି ମୁକ୍ତି ତଥା ମୋକ୍ଷ ଆଡକୁ ଅନୁଗାମୀ କରାଏ । ଶିବ ଯେପରି ଶକ୍ତି ବିନା ଶବ , ସେହିପରି ସମ୍ପୂର୍ଣ୍ଣ ବିଶ୍ବବ୍ରହ୍ମାଣ୍ଡ ଶକ୍ତି ବିନା ଜଡ, ସ୍ଥାଣୁ ଓ ଅଚଳ । ବ୍ରହ୍ମା ଯେତେବେଳେ ସୃଷ୍ଟି ସର୍ଜନାକଲେ ସେତେବେଳେ ସେ ଅନେକ ଜୀବଜନ୍ତୁ, ନଦୀ, ସାଗର, ବୃକ୍ଷ ଲତା, ପାହାଡ ପର୍ବତ ସବୁ ସୃଷ୍ଟିକଲେ । କିନ୍ତୁ ସାରାପୃଥିବୀ ଜଡ ଓ ନିସ୍ତବ୍ଧ ଥିଲା । ପବନ ସ୍ଥିର ଥିଲା । ବ୍ରହ୍ମା ବ୍ୟସ୍ତ ହୋଇ ତାଙ୍କ କମଣ୍ଡଳୁରୁ ଜଳ ସିଞ୍ଚନ କଲେ ସେଥିରୁ ଗୋଟିଏ ଜ୍ୟୋତି ନିର୍ଗତ ହୋଇ ଏକତ୍ରିତ ହେଲାରୁ ଉଦ୍ଭବ ହେଲେ ମାତା ସରସ୍ବତୀ । ତାଙ୍କର ବୀଣା ଝଙ୍କୃତ ହେବାମାତ୍ରେ ପୃଥିବୀରେ ଜୀବନ ସଞ୍ଚାର ହେଲା ଏବଂ ପୃଥିବୀ ହସିଉଠିଲା । ବୃକ୍ଷମାନେ ପୁଷ୍ପବତୀ ହେଲେ , ନଦୀ, ଝରଣା ବାୟୁ ଉଲ୍ଲସିତ ହେଲେ । ଜନନୀ ଜଠରରୁ ସବୁକିଛିର ଉତ୍ପତ୍ତି । ଜନନୀ ହିଁ ପ୍ରଥମ ସଞ୍ଚାରିତ ଶକ୍ତି , ସେହି ଶକ୍ତି ବଳରେ ପୃଥିବୀ ସଞ୍ଚାଳିତ ହୁଏ । ଜନନୀ ଜୀବନର ପ୍ରଥମ ଜ୍ୟୋତି, ଯାହାକୁ ଆଶ୍ରା କରି ଏ ସୃଷ୍ଟି ଜନ୍ମନିଏ , ପରିଚାଳିତ ହୁଏ ଏବଂ ବିଲୟ ହୋଇ ଏକ ରୂପାନ୍ତରିତ ମାନବ ସୃଷ୍ଟି କରେ ।
ମାତୃଶକ୍ତି ସୃଷ୍ଟିର ପ୍ରଥମ – ଆଦିପରାଶକ୍ତି ( primordial energy)। ଏହା ମୁଖ୍ୟତଃ ତିନି ଭାଗରେ ବିଭକ୍ତ ।
ଚିନ୍ତା ଶକ୍ତି( thought power)
କ୍ରିୟା ଶକ୍ତି (kinetic energy)
ଓ ସଂକଳ୍ପ ଶକ୍ତି (will power) .
ଏହି ତିନୋଟିର ସମ୍ମିଶ୍ରଣରେ କାର୍ଯ୍ୟ ସମ୍ପାଦିତ ହୁଏ । ଏଥିରୁ ଗୋଟିଏ କମ୍ ହେଲେ କୌଣସି କାର୍ଯ୍ୟ ସିଦ୍ଧି ହେବନାହିଁ । ଚିନ୍ତା, ସଂକଳ୍ପ ଓ କାର୍ଯ୍ୟ ପରସ୍ପର ସହିତ ସଂଲଗ୍ନ ।
ଆଦି ମାନବର ପରିକଳ୍ପନା ରେ ସର୍ବପ୍ରଥମେ ଦେବୀ ଚେତନା ଓ ମାତୃଚେତନା ସ୍ଥାନପାଇ ଶକ୍ତି ମାତାଙ୍କୁ ଉପାସନା କରାଗଲା । ପ୍ରଥମେ ତ୍ରିଶକ୍ତି ଦୁର୍ଗା, ଲକ୍ଷ୍ମୀ ଓ ସରସ୍ୱତୀ , ନବଦିନାତ୍ମକ ନବରାତ୍ର ରେ ପ୍ରଥମ ତିନିଦିନ ମା’ ଦୁର୍ଗାଙ୍କୁ (ତାମସିକ ଶକ୍ତିକୁ ନିୟନ୍ତ୍ରିତ କରାଯାଏ), ତା ପର ତିନିଦିନ ମା’ ଲକ୍ଷ୍ମୀଙ୍କୁ(ରାଜସିକ ବା କାର୍ଯ୍ୟ କାରିଣୀ ଶକ୍ତି), ଓ ଶେଷ ତିନିଦିନ ମା’ ସରସ୍ୱତୀଙ୍କୁ( ଜ୍ଞାନର ଦେବୀଙ୍କୁ ସାତ୍ତ୍ବିକ ଭାବରେ) ଆରାଧନା କରି ଆଶୀର୍ବାଦ ପ୍ରାର୍ଥନା କରାଯାଏ ।
ଷଢମାତୃକା, ସପ୍ତମାତୃକା, ଷୋଢଶମାତୃକା, ଅଷ୍ଟ ଚଣ୍ଡୀ ଓ ଦଶମହାବିଦ୍ୟାର ଆରାଧନା କରାଯାଏ । ପରେ ତାଙ୍କ ସହିତ ରୁଦ୍ର ଶକ୍ତି, ବିଷ୍ଣୁ ଶକ୍ତି, ନବଦୁର୍ଗା ଏବଂ ଚଉଷଠୀଯୋଗିନୀମାନଙ୍କୁ ମଧ୍ୟ ଆରାଧନା କରାଗଲା । ଶକ୍ତିର ନାମ ଓ ରୂପ ଅନନ୍ତ । ସେ ବିଶ୍ବବ୍ରହ୍ମାଣ୍ଡର ସୃଷ୍ଟି ସ୍ଥିତି ଓ ପ୍ରଳୟକାରିଣୀ । ସେ ବିଶ୍ବେଶ୍ବରୀ, ବିଶ୍ବରୂପା, ସର୍ବରୂପା, ସୌମ୍ୟା ଓ ରୁଦ୍ରା । ଶ୍ରୀ ଦୁର୍ଗାସପ୍ତସତୀ ଅନୁଯାୟୀ ପରମେଶ୍ବରୀ ତାଙ୍କର ତମୋଗୁଣରୁ ଏକ ନାରୀ ରୂପ ପ୍ରକଟ କଲେ । ତାଙ୍କୁ ମହାମାୟା, ମହାକାଳୀ, କ୍ଷୁଧା, ତୃଷ୍ଣା, ନିଦ୍ରା ତଥା କାଳରାତ୍ରି ଭାବରେ ଉପାସନା କରାଗଲା । ପୁଣି ସତ୍ତ୍ବଗୁଣରୁ ଅନ୍ୟ ଏକ ନାରୀ ସୃଷ୍ଟି କଲେ । ତାଙ୍କୁ ମହାବିଦ୍ୟା, ମହାବାଣୀ, ଭାରତୀ, ବାଗଦେବୀ, ବ୍ରାହ୍ମୀ, ସରସ୍ବତୀ, ବେଦଗର୍ଭା ଓ ଧୀଶକ୍ତି ନାମରେ ନାମିତ କରାଗଲା । ତେଣୁ ଆଦିଶକ୍ତିଙ୍କ ଠାରୁ ମହାଲକ୍ଷ୍ମୀ, ମହାସରସ୍ବତୀ ଓ ମହାକାଳୀ ସୃଷ୍ଟି ହେଲେ ।
ପୌରାଣିକ କଥା ଅନୁସାରେ ଏକଦା ଦକ୍ଷ ପ୍ରଜାପତି ଏକ ମହାନ୍ ଯଜ୍ଞର ଆୟୋଜନକଲେ । ସେହି ଯଜ୍ଞରେ ଯୋଗ ଦେବାପାଇଁ ସେ ସମସ୍ତ ଦେବତାମାନଙ୍କୁ ଆମନ୍ତ୍ରଣ କଲେ , କିନ୍ତୁ ଜାମାତା ଭଗବାନ ଶିବଙ୍କୁ ଅପମାନିତ କରିବା ପାଇଁ ଆମନ୍ତ୍ରଣ କଲେନାହିଁ । ଦକ୍ଷଙ୍କ କନ୍ୟା ସତୀ ବାପାଏତେବଡ ଯଜ୍ଞ କରୁଥିବାରୁ ନ ଡାକନ୍ତୁ ପଛକେ ଯିବାକୁ ଜିଦ୍ କଲେ । ଭଗବାନ ଶଙ୍କର ତାଙ୍କୁ ପ୍ରତିରୋଧ କରିବାରୁ ସତୀମାତା ତାଙ୍କୁ ଦଶଟି ରୂପରେ ଭୟଭୀତ କରିଥିଲେ । ସେହି ଦଶପ୍ରହରଣ ଦେବୀମାନଙ୍କୁ ‘ଦଶମହାବିଦ୍ୟା’ କୁହାଗଲା । ସେହି ଦେବୀମାନେ ହେଲେ ମହାକାଳୀ, ତାରା, ଷୋଢଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଓ କମଳା । ତନ୍ତ୍ରଶାସ୍ତ୍ରରେ ସପ୍ତମାତୃକାଙ୍କ ସ୍ବରୂପକୁ ପରିକଳ୍ପନା କରାଯାଇ ସପ୍ତମାତୃକାମାନଙ୍କୁ ଉପାସନା କରାଯାଏ । ସେହି ସପ୍ତମାତୃକାମାନେ ହେଲେ ବ୍ରାହ୍ମୀ, ମାହେଶ୍ବରୀ, ଐନ୍ଦ୍ରୀ, ବୈଷ୍ଣବୀ, ବରାହୀ, କୌମାରୀ ଓ ଚାମୁଣ୍ଡା ।
ଶାସ୍ତ୍ରରୁ ଜଣାଯାଏ ଏକଦା ଭୟଙ୍କର ରାକ୍ଷସ ଅନ୍ଧକାସୁର ସହିତ ଭଗବାନ ଶଙ୍କରଙ୍କର ହଜାର ହଜାର ବର୍ଷ ଧରି ଯୁଦ୍ଧ ଚାଲିଲା । ଶେଷରେ ଶଙ୍କର ନିଜ ଶରୀରରୁ ଭୟଙ୍କର ଦେଦୀପ୍ୟମାନ ଅଗ୍ନିଶିଖା ନିର୍ଗତ କରାଇଲେ । ସେହି ତେଜୋଦୀପ୍ତ ଅଗ୍ନିଶିଖାରୁ ଦେବୀ ଯୋଗେଶ୍ବରୀ ଆବିର୍ଭୁତା ହେଲେ । ବ୍ରହ୍ମା, ବିଷ୍ଣୁ, ଇନ୍ଦ୍ର, କୁବେର, ନରସିଂହ, କାର୍ତ୍ତିକେୟ, ଯମ, ବରାହ, ଦେବତାମାନେ ମଧ୍ୟ ସ୍ବକୀୟ ତେଜରୁ ଜଣେ ଜଣେ ଦେବୀ ସୃଷ୍ଟି କଲେ । ସେହି ଦେବୀମାନେ ଅନ୍ଧକାସୁରକୁ ନିଧନ କଲେ । ସେମାନେ ହେଲେ ମାହେଶ୍ବରୀ, କୌମାରୀ, ବୈଷ୍ଣବୀ, ବରାହୀ, ଐନ୍ଦ୍ରୀ ଓ ଚାମୁଣ୍ଡା । କେତେକସାଧକ ବାସନ୍ତୀକ ଓ ଶାରଦୀୟ ଦୁର୍ଗାପୂଜାରେ ନବଦୁର୍ଗା ଙ୍କୁ ଉପାସନା କରିଥାନ୍ତି । ସେହି ଦେବୀମାନେ ହେଲେ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧ ମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀ ।
ଧରାପୃଷ୍ଠରୁ ଅମୃତଦାୟିନୀ ବର୍ଷା ବିଦାୟ ନେବା ପରେପରେ କାଶତଣ୍ଡୀର ଚାମର ହଲେଇ ହଲେଇ , କଇଁ ପୋଖରୀ ସଜେଇ ପ୍ରସ୍ଫୁଟିତ କରି ଧୀର ପଦପାତରେ ଓହ୍ଲେଇ ଆସନ୍ତି ଶରତର ଶୁଭ୍ର ଆକାଶକୁ ପ୍ରେମମୟ କରି ଦେବୀ ଦୁର୍ଗା । ସୁନ୍ଦର ସ୍ବଚ୍ଛ ଆକାଶକୁ ଶବ୍ଦମୟ କରି ଗୁଞ୍ଜରି ଉଠେ
‘ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା
ନମୋତସ୍ମୈ ନମୋତସ୍ମୈ ନମୋତସ୍ମୈ ନମୋ ନମଃ’ ।
ଶାରଦୀୟ ଦୁର୍ଗାପୂଜାରେ ଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ସର୍ବରୂପା, ସର୍ବେଶ୍ବରୀ, ମଙ୍ଗଳମୟୀ, ଶରଣାଗତ ବତ୍ସଳା, ସିଦ୍ଧି କାରିଣୀ, ଜଗଜ୍ଜନନୀ ମାତା ଦୁର୍ଗତିନାଶିନୀ ଦୁର୍ଗା । ଦୈତ୍ୟରାଜ ମହିଷାସୁରକୁ ନିଧନକରିବା ପାଇଁ ବ୍ରହ୍ମା, ବିଷ୍ଣୁ, ମହେଶ୍ବର ଆଦି ଦେବତାମାନେ ନିଜ ନିଜ ତେଜରାଶିରୁ ଶକ୍ତିଦେଇ ଆବିର୍ଭୁତା କଲେ ମାତା ଦୁର୍ଗାଙ୍କୁ । ମାତା ମହାମାୟା, ମହାବିଦ୍ୟା , ମହାମେଧା , ମହାସ୍ମୃତି , ମହାମୋହରୂପା, ମହାଦେବୀ । ସେ ପୁଣି କାଳରାତ୍ରି, ମହାରାତ୍ରି, ଲଜ୍ଜା, ତୁଷ୍ଟି, ଶାନ୍ତି, କ୍ଷମା, ସ୍ବାହା, ସୁଧା, ବଷଟକାର । ସେ ମୋକ୍ଷଦାତ୍ରୀ କଲ୍ୟାଣମୟୀ । ସେ ସୃଷ୍ଟି ପାଳନକାରିଣୀ ଓ ସଂହାରର ଶକ୍ତିରୂପା ସନାତନୀ ।ମହେଶ୍ବରୀ ସ୍ବରୂପାରେ ସେ ତ୍ରିଶୂଳଧାରିଣୀ, ସଚରାଚର ପ୍ରାଣୀମାନଙ୍କର ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଇଚ୍ଛା, ଦୟା, କରୁଣା ଆଦି । ମାତା ଦୁର୍ଗାହିଁସନ୍ଧ୍ୟା, ସାବିତ୍ରୀ, ଗାୟତ୍ରୀ ଓ ସୁଧା । ସେ ଆନନ୍ଦମୟୀ ଓ ସତ୍ ଚିତ୍ ଆନନ୍ଦ ସ୍ବରୂପା । ସେ ଶକ୍ତି ସ୍ବରୂପିଣୀ , ସିଂହବାହିନୀ, ତ୍ରିଶୂଳଧାରିଣୀ, ଜୟ ପ୍ରଦାୟିନୀ, ସନ୍ତାନପ୍ରଦାୟିନୀ, ସମସ୍ତ ବିନୟ, ଧୈଯ୍ୟ, ପ୍ରେମ, ଅନୁକମ୍ପା, ଶ୍ରଦ୍ଧା, ଶାନ୍ତି ଓ ମାଧୁର୍ଯ୍ୟ -ଅନେକ ରୂପରେ ପ୍ରକଟିତ ।
ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ଭୁବନେଶ୍ୱର






Leave a Reply