୩୨ଟି ଶାଳ କାଠ ସ୍ଲିପର ସହ ବୋଲେରୋ ପିକ୍‌ଅପ୍‌ ଜବତ, ୨ ଅଭିଯୁକ୍ତ ଜେଲ୍‌କୁ।

କାଠ ମାଫିଆଙ୍କ ଉପରେ ବନ ବିଭାଗର ଶକ୍ତ ପ୍ରହାର
୩୨ଟି ଶାଳ କାଠ ସ୍ଲିପର ସହ ବୋଲେରୋ ପିକ୍‌ଅପ୍‌ ଜବତ, ୨ ଅଭିଯୁକ୍ତ ଜେଲ୍‌କୁ।
ବଣାଇ,୧୫/୧୦/୨୬(Dambaru Pradhan) ବଣାଇ ବନଖଣ୍ଡ ଅଧୀନ ବିଭିନ୍ନ ଜଙ୍ଗଲରୁ ବେଆଇନ କାଠ ଚାଲାଣ ରୋକିବା ପାଇଁ ବନ ବିଭାଗ ତତ୍ପର ହୋଇଉଠିଛି। କାଠ ଚୋରା ଚାଲାଣକାରୀଙ୍କ ଉପରେ ନଜର ରଖି ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୨ଟି ଶାଳ କାଠ ସ୍ଲିପର ଓ ଏକ ବୋଲେରୋ ପିକ୍‌ଅପ୍‌ ଜବତ କରାଯାଇଛି। ଏହି ଘଟଣାରେ ଝାଡ଼ଖଣ୍ଡ ରାଜ୍ୟର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବଣାଇ ସ୍ୱତନ୍ତ୍ର ଜେଲ୍‌କୁ ପଠାଯାଇଛି।
ସୂଚନା ଅନୁଯାୟୀ, ବଣାଇ ବନଖଣ୍ଡ ଅଧିକାରୀ ଯୋଶବନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ବାଙ୍କି ରେଞ୍ଜ ଅଧିକାରୀ କୈଳାସ ଚନ୍ଦ୍ର କିଶାନଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍‌ ଜାତୀୟ ରାଜପଥ ୫୨୦ର କମାରପୋଷ ଓଭରବ୍ରିଜ୍‌ ନିକଟ ପଟା ସାହି ବିଟ୍‌ ଅନ୍ତର୍ଗତ କେ. ବଲାଙ୍ଗ ସେକ୍ସନ ଅଞ୍ଚଳରେ ଚଢ଼ାଉ କରିଥିଲା। ଏହି ସମୟରେ ଚୋରା ଚାଲାଣ ହେଉଥିବା ସନ୍ଦେହରେ ୩୨ଟି ଶାଳ କାଠ ସ୍ଲିପର ଏବଂ ଝାଡ଼ଖଣ୍ଡ ରାଜ୍ୟର ପଞ୍ଜୀକରଣ ନମ୍ବର JH01EE7236 ଥିବା ଏକ ବୋଲେରୋ ପିକ୍‌ଅପ୍‌ ଗାଡ଼ିକୁ ଜବତ କରାଯାଇଥିଲା।
ଏହି ମାମଲାରେ ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଝାଡ଼ଖଣ୍ଡ ରାଜ୍ୟର ଲାଚର ଜିଲ୍ଲା ବାସିଆ ଗ୍ରାମର ନାରାୟଣ ଯାଦବଙ୍କ ପୁଅ ମହେଶ କୁମାର ଯାଦବ (୨୬) ଏବଂ ମାହୁଆମିଲାନ ଗ୍ରାମର ଭୁନେଶ୍ୱର ଯାଦବଙ୍କ ପୁଅ ପବନ କୁମାର ଯାଦବ (୨୬)। ଏ ସଂକ୍ରାନ୍ତରେ OR ନଂ. ୧୧୯/୨୦୨୬–୨୭ରେ ମାମଲା ରୁଜୁ କରାଯାଇ ଉଭୟଙ୍କୁ ବଣାଇ ସ୍ୱତନ୍ତ୍ର ଜେଲ୍‌କୁ ପଠାଯାଇଛି।
ଚଢ଼ାଉରେ କେ. ବଲାଙ୍ଗ ସେକ୍ସନର ଫରେଷ୍ଟର ଗୋପାଳ ଓରାମ, ପଟା ସାହି ବିଟ୍‌ର ବନରକ୍ଷୀ ସୋହେଲ ରଞ୍ଜନ ଦାସ, ମୋନାଲିସା ଲେଙ୍କା, ବିରଟୋଲା ବିଟ୍‌ର ସଲିଲ ସଙ୍କେତ ଡାଙ୍ଗ ଓ ସିଲିକଟା ବିଟ୍‌ର ରତିକାନ୍ତ ଜେନା ସାମିଲ ଥିଲେ।
ଜଙ୍ଗଲ ସୁରକ୍ଷା ପାଇଁ କଠୋର ପଦକ୍ଷେପ ଜରୁରୀ
ଜଙ୍ଗଲରୁ ମୂଲ୍ୟବାନ ଶାଳ କାଠର ବେଆଇନ କାଟିବା ଓ ଚୋରା ଚାଲାଣ ଜଙ୍ଗଲ ସମ୍ପଦ ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି। କେବଳ କାଠ ଜବତ କିମ୍ବା ଅଭିଯୁକ୍ତଙ୍କୁ ଗିରଫ କରିବାରେ ସୀମିତ ନରହି, ଏହି କାରବାର ପଛରେ ଥିବା ମୁଖ୍ୟ ମାଫିଆ, କାଠ ଯୋଗାଣକାରୀ ଓ ଚାଲାଣ ନେଟୱର୍କର ମୂଳୋତ୍ପାଟନ ଦିଗରେ ବନ ବିଭାଗ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ। ନିୟମିତ ପାଟ୍ରୋଲିଂ, ସନ୍ଦେହଜନକ ଗାଡ଼ି ଯାଞ୍ଚ ଏବଂ ଜଙ୍ଗଲ ସୀମାନ୍ତ ଅଞ୍ଚଳରେ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଗଲେ ବେଆଇନ କାଠ ଚାଲାଣ ଉପରେ ରୋକ୍‌ ଲଗାଯାଇପାରିବ। ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ଏଭଳି ଅଭିଯାନକୁ ନିରନ୍ତର ଜାରି ରଖିବା ଜରୁରୀ।

Odisha Watch News

Leave a Reply

Your email address will not be published. Required fields are marked *