ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଟିକାୟତପାଲିକୁ NQAS ପ୍ରମାଣପତ୍ର
ଟିକାୟତପାଲି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଗୌରବର ମୁହୂର୍ତ୍ତ
ବଣାଇ,୧୫/୧୦/୨୬ (Dambaru Pradhan) ସୁନ୍ଦରଗଡ଼ ଜିଲ୍ଲାର କସଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଥା CHC ଏସ୍. ବଣାଇ ଅଧୀନରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (AAM), ଉପସ୍ୱାସ୍ଥ୍ୟ କେନ୍ଦ୍ର ଟିକାୟତପାଲି ଜାତୀୟ ଗୁଣବତ୍ତା ନିଶ୍ଚିତକରଣ ମାନକ (NQAS) ପ୍ରମାଣପତ୍ର ହାସଲ କରିଛି। ଏହି ସଫଳତା ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ, ସ୍ଥାନୀୟ ଜନସାଧାରଣ ଓ ସମଗ୍ର ଅଞ୍ଚଳ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ହୋଇଛି।
ଗତ ୨୪ ଅଗଷ୍ଟ ୨୦୨୬ ତାରିଖରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର NQAS ମୂଲ୍ୟାଙ୍କନ କରାଯାଇଥିବା ବେଳେ ୫ ଅକ୍ଟୋବର ୨୦୨୬ ତାରିଖରେ ଏହାକୁ ପ୍ରମାଣପତ୍ର ମିଳିଥିଲା। ସ୍ୱାସ୍ଥ୍ୟସେବାର ଗୁଣବତ୍ତା, ପରିମଳ ବ୍ୟବସ୍ଥା, ସଂକ୍ରମଣ ନିୟନ୍ତ୍ରଣ, ରୋଗୀ ସୁରକ୍ଷା ଓ ରୋଗୀ-ଅନୁକୂଳ ସେବା ପ୍ରଦାନ କ୍ଷେତ୍ରରେ ଏହି ସଫଳତା ଏକ ଉଲ୍ଲେଖନୀୟ ଉପଲବ୍ଧି।
ଏହି ସଫଳତା ପଛରେ CHO ଘନଶ୍ୟାମ ନାୟକ, HWF ଲିଜା ହୋରୋ ଏବଂ ଆଶାକର୍ମୀ ସୁକାନ୍ତି ଓରାମ, ଜୟନ୍ତୀ କିଷାନ, ସୁମିତ୍ରା କିଷାନ, କସ୍ତୁରୀ କିଷାନ, ସଲାମି ସୋରେଙ୍ଗ ଓ ଜସ୍ପିନ ସୋଏଙ୍କ ନିଷ୍ଠାପର ଉଦ୍ୟମ ରହିଛି।
ଏହି ସଫଳତା ହାସଲରେ CHC ଏସ୍. ବଣାଇର ଡାକ୍ତର ଡା. ବିଶ୍ୱରଞ୍ଜନ ସାହୁ ଓ ଡା. ସୁଭ୍ରାଂଶୁ ଶେଖର ବେହେରା, BPM ତୁଷାରକାନ୍ତ ମହାପାତ୍ର ଏବଂ PHEO ପ୍ରଦୀପ୍ତ ମିଶ୍ରଙ୍କ ମାର୍ଗଦର୍ଶନ, ସହଯୋଗ ଓ ସମର୍ଥନ ଉଲ୍ଲେଖନୀୟ ରହିଥିଲା
ସମସ୍ତଙ୍କ ମିଳିତ ପ୍ରୟାସ, ନିରନ୍ତର ପରିଶ୍ରମ, ଉତ୍ତମ ସମନ୍ୱୟ ଓ ଦାୟିତ୍ୱବୋଧ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି। NQAS ପ୍ରମାଣପତ୍ର ହାସଲ କରିବା ଦ୍ୱାରା ଟିକାୟତପାଲି ଓ ଏହାର ଆଖପାଖ ଗ୍ରାମର ଲୋକମାନଙ୍କୁ ଅଧିକ ଗୁଣାତ୍ମକ, ସୁରକ୍ଷିତ ଓ ସୁବିଧାଜନକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି।
ଏହି ଗୌରବମୟ ସଫଳତା ପାଇଁ AAM SC ଟିକାୟତପାଲିର ସମସ୍ତ କର୍ମଚାରୀ, CHC ଏସ୍. ବଣାଇର ସମସ୍ତ ସହଯୋଗୀ ଏବଂ କସଡ଼ା ଗ୍ରାମ ପଞ୍ଚାୟତର ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଯାଇଛି। ଆଗାମୀ ଦିନରେ ମଧ୍ୟ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଣାତ୍ମକ ମାନ ବଜାୟ ରଖିବା ସହ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ ସଂକଳ୍ପବଦ୍ଧ।
“ସମୂହ ପ୍ରୟାସ ଓ ନିଷ୍ଠାପର ସେବା ହିଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ପରିଚୟ।”











Leave a Reply