ବ୍ରିକ୍ସ ସମ୍ମିଳନୀରେ କୋରାପୁଟର ସ୍ୱାଦ”ଟାଇଗର ବ୍ରାଇଟ୍” ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି

‘ଟାଇଗର ବ୍ରାଇଟ୍’, କଫିପ୍ରେମୀଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ପ୍ରିମିୟମ ଆରବିକା ବ୍ଲେଣ୍ଡରେ ଅରେଞ୍ଜ୍, ଲେମନ୍ ଏବଂ ସ୍ବିଟ୍ ଲାଇମ୍ ଫ୍ଲେଭର୍ ସହ କାରାମେଲ, ଚୋକୋଲେଟ୍ ଏବଂ କୋକୋଆ (cocoa) ସ୍ୱାଦ ଭରି ରହିଛି । ପ୍ରାକୃତିକ ଛାଇରେ ବଢ଼ୁଥିବା ଏବଂ ସ୍ୱଚ୍ଛତା ମାନଦଣ୍ଡ ସହ ପ୍ରକ୍ରିୟାକୃତ ଏହି କଫିକୁ ପାରମ୍ପାରିକ ଭାବେ କାଠ ଖଟ ଉପରେ ରଖି ଖରାରେ ଶୁଖାଯାଏ । ଲାଇଟ୍, ମିଡିୟମ୍ ଏବଂ ଡାର୍କ ରୋଷ୍ଟର ସନ୍ତୁଳିତ ମିଶ୍ରଣ ‘ଟାଇଗର ବ୍ରାଇଟ୍’କୁ ଏକ ସ୍ୱତନ୍ତ୍ର ସ୍ୱାଦ ପ୍ରଦାନ କରେ । ଏହି କଫିର ପ୍ରସିଦ୍ଧି ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ପାଇଛି । କୋରାପୁଟ କଫି ଦୁଇ ଥର ‘ଫାଇନ୍ କପ୍ ଆୱାର୍ଡ’ ଜିତିବା ସହ କଫି ବୋର୍ଡର ‘ଫ୍ଲେଭର ଅଫ୍ ଇଣ୍ଡିଆ ଫାଇନ୍ କପ୍ ୨୦୨୪’ ରେ ଚତୁର୍ଥ ସ୍ଥାନ ହାସଲ କରିଛି । ଏହି ସଫଳତା କୋରାପୁଟକୁ ଏକ ନୂତନ କଫି-ଉତ୍ପାଦନକାରୀ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିତୋଳିବାରେ ସାହାଯ୍ୟ କରିଛି । ଓଡ଼ିଶା ଏବଂ ଦିଲ୍ଲୀରେ ଆଠଟି କୋରାପୁଟ କଫି ବ୍ରାଣ୍ଡ୍ କାଫେ ପ୍ରତିଷ୍ଠା କରାଯାଇ ବିପଣନ ଏବଂ ଗ୍ରାହକ ସଂଯୋଗ ପାଇଁ ନୂଆ ରାସ୍ତା ଖୋଲାଯାଇଛି । ଆର୍ଥିକ ବର୍ଷ ୨୦୨୩–୨୪ ମଧ୍ୟରେ ଏହି କାଫେଗୁଡ଼ିକରୁ ୧.୬୪ କୋଟି ଟଙ୍କାର ବିକ୍ରି ହୋଇଛି । କାଫେ ସହିତ ଟାଇଗର ବ୍ରାଇଟ୍, ରୋଷ୍ଟେଡ୍ ବିନ୍ସ (roasted beans) ଏବଂ ଇନଷ୍ଟାଣ୍ଟ କଫି ଭଳି ଉତ୍ପାଦ ଗ୍ରାହକଙ୍କ ଆଦୃତି ଲାଭ କରିଛି । ୧୦,୬୩୪ ରୁ ଅଧିକ ‘ଟାଇଗର ବ୍ରାଇଟ୍’ ପ୍ୟାକେଟ୍ ବିକ୍ରି ହେବା ଏହା ଦର୍ଶାଉଛି ଯେ କେବଳ ଏକ କୃଷି ଉତ୍ପାଦ ନୁହେଁ, ବରଂ ଏକ ବ୍ରାଣ୍ଡ୍ ଭାବେ ଏହାର ଚାହିଦା ବୃଦ୍ଧି ପାଇଛି । ବ୍ରିକ୍ସ ସମ୍ମିଳନୀରେ ‘ଟାଇଗର ବ୍ରାଇଟ୍’ର ଉପସ୍ଥିତି ଏକ ବିଶେଷ ଗୁରୁତ୍ୱ ବହନ କରୁଛି । ଏହି ସମ୍ମିଳନୀରେ ଉଦୀୟମାନ ଅର୍ଥବ୍ୟବସ୍ଥାର ନେତା, ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଏକାଠି ହୋଇଛନ୍ତି, ଯାହା ବିଶ୍ୱ ଦରବାରରେ ଭାରତର ବିବିଧ ଅର୍ଥନୈତିକ ଓ ସାଂସ୍କୃତିକ ଐତିହ୍ୟକୁ ଉପସ୍ଥାପନ କରିବା ପାଇଁ ଏକ ବଡ଼ ମଞ୍ଚ ପ୍ରଦାନ କରିଛି । ବ୍ରିକ୍ସ ଭଳି ଅନ୍ତର୍ଜାତୀୟ ମଞ୍ଚରେ କୋରାପୁଟର ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ କଫିର ଅନ୍ତର୍ଭୁକ୍ତି କେବଳ ଆଞ୍ଚଳିକ ଉତ୍ପାଦକୁ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ନୁହେଁ, ବରଂ ଆଦିବାସୀ ଚାଷୀଙ୍କ ପରିଶ୍ରମ, ସ୍ଥାନୀୟ ଉତ୍ପାଦନ, ମୂଲ୍ୟବୃଦ୍ଧି ଏବଂ ଜୀବିକା ସଶକ୍ତିକରଣର ଏକ ସଫଳ କାହାଣୀକୁ ବିଶ୍ୱ ସମ୍ମୁଖରେ ପହଞ୍ଚାଇବାର ଏକ ଅବସର ସୃଷ୍ଟି କରିଛି । କୋରାପୁଟର ମାଟିରେ ଆଦିବାସୀ ଚାଷୀଙ୍କ ଦ୍ବାରା ଉତ୍ପାଦିତ ଏହି କଫି ଏବେ ଓଡ଼ିଶାର ସୀମା ଅତିକ୍ରମ କରି ଭାରତର ବିବିଧତା ଓ ସ୍ଥାନୀୟ ଉଦ୍ୟମର ଏକ ସୁଗନ୍ଧିତ ପ୍ରତୀକ ଭାବେ ବିଶ୍ୱ ମଞ୍ଚରେ ନିଜର ଉପସ୍ଥିତି ଦେଇଛି ।

Odisha Watch News

Leave a Reply

Your email address will not be published. Required fields are marked *